କେସିଙ୍ଗା, ୨୨/୦୯ (ସିଂହନାଦ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭମରମାଳ (ପଥର୍ଲା) ଗ୍ରାମରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସାମୂହିକ ଭାବେ ନୂଆଁଖାଇ ପାଳିତ ହୋଇଛି। ଗ୍ରାମର ସମସ୍ତ ଗ୍ରାମବାସୀ ଭେଦଭାବ ଭୁଲି ଗୋଟିଏ ସ୍ଥାନରେ ଏକାଠି ହୋଇ ନବାନ୍ନ ପାଳନ କରିବା ସହ ପରସ୍ପରକୁ ‘ନୂଆଁଖାଇ ଜୁହାର’ ଜଣାଇଛନ୍ତି।
ଗ୍ରାମ ଇତିହାସରେ ପ୍ରଥମ ଥର ହୋଇଥିବା ଏହି ସାମୂହିକ ଆୟୋଜନରେ ନେତାଜୀ ୟୁଥ୍ କ୍ଲବର ସଦସ୍ୟମାନଙ୍କ ପ୍ରମୁଖ ଭୂମିକା ରହିଥିଲା। କ୍ଲବ ସଦସ୍ୟମାନଙ୍କ ନେତୃତ୍ୱ ଓ ଅକ୍ଳାନ୍ତ ପରିଶ୍ରମ ସହିତ ଗ୍ରାମର ଆବାଳବୃଦ୍ଧବନିତାଙ୍କ ସହଯୋଗରେ ଆୟୋଜନ ସଫଳ ହୋଇଥିଲା।
ପାରମ୍ପରିକ ରୀତିନୀତି ଅନୁଯାୟୀ ଧାର୍ଯ୍ୟ ଲଗ୍ନରେ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି କରାଯାଇଥିଲା। ପରେ ସମସ୍ତ ଗ୍ରାମବାସୀ ଏକାଠି ବସି ପ୍ରସାଦ ସେବନ କରିଥିଲେ। ଏହାପରେ ସାନମାନେ ବଡ଼ମାନଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିବା ବେଳେ ସମବୟସ୍କମାନେ ପରସ୍ପରକୁ ଆଲିଙ୍ଗନ କରି ନୂଆଁଖାଇ ଶୁଭେଚ୍ଛା ଜଣାଇଥିଲେ।
ସାମୂହିକ ନୂଆଁଖାଇ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସଦ୍ଭାବନାର ବାର୍ତ୍ତା ପ୍ରକାଶ ପାଇଥିଲା। ଗ୍ରାମରେ ସାମାଜିକ ଏକତା ଓ ଭାଇଚାରାକୁ ମଜବୁତ କରିବା ଦିଗରେ ଏଭଳି ଆୟୋଜନ ପ୍ରଶଂସନୀୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ନେତାଜୀ ୟୁଥ୍ କ୍ଲବର ଏହି ପ୍ରୟାସକୁ ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଶଂସା କରାଯାଉଛି।
ରିପୋର୍ଟ: ଖଗପତି ସାହୁ
Thanks for reading: ଭେଦଭାବ ଭୁଲି ଏକାଠି ହେଲା ପଥର୍ଲା, ପ୍ରଥମ ଥର ସାମୂହିକ ନୂଆଁଖାଇ, Sorry, my English is bad:)



