ଲେଖକ: ହେମନ୍ତ କୁମାର ନାୟକ
ସକାଳ ହେଲା। ଭବାନୀପାଟଣାର ଗାନ୍ଧୀ ଛକ ଜାଗିଲା। ଦୋକାନ ଖୋଲିଲା, ଲୋକ ବାହାରିଲେ, ଗାଡ଼ି ଚାଲିଲା—ଆଉ ସାଙ୍ଗରେ ଜାଗିଉଠିଲା ହର୍ଣ୍ଣର ମହାସମାରୋହ! କିଏ ଆଗକୁ ଯିବ, କିଏ ପଛକୁ ରହିବ, କିଏ କାହାକୁ ସାଇଡ୍ ଦେବ—ଏହାର କୌଣସି ଲିଖିତ ନିୟମ ନାହିଁ; ଯାହାର ହର୍ଣ୍ଣ ଜୋର୍, ତାହାର ଆତ୍ମବିଶ୍ୱାସ ଅଧିକ!
ଏବଂ ଏହି ସମସ୍ତ ଦୃଶ୍ୟର ମଝିରେ ଠିଆ ଅଛି ମହାତ୍ମା ଗାନ୍ଧୀଙ୍କ ନାଁ।
କେତେ ସୁନ୍ଦର ବିରୋଧାଭାସ!
ନାଁରେ ଅହିଂସା, ରାସ୍ତାରେ ହର୍ଣ୍ଣର ହିଂସା।
ନାଁରେ ଶୃଙ୍ଖଳା, ଚଳାଚଳରେ ମନମାନି।
ନାଁରେ ସ୍ୱଚ୍ଛତା, ଆଉ ଚାରିପଟେ ଆମର ଅସଚେତନତା।
ଏମିତି ଦୃଶ୍ୟ ଦେଖି ଗାନ୍ଧୀଜୀ ଯଦି ଆଜି ହଠାତ୍ ଆସି ପହଞ୍ଚନ୍ତି, ପ୍ରଥମେ ନିଜ ନାଁ ଥିବା ଛକଟିକୁ ଦେଖିବେ। ତା’ପରେ ଲୋକଙ୍କୁ ଦେଖିବେ। ତା’ପରେ ହର୍ଣ୍ଣ ଶୁଣିବେ। ଶେଷରେ ହୁଏତ ଚୁପ୍ ହୋଇ ପଚାରିବେ—
“ମୋ ନାଁଟା ଏଠାରେ କାହିଁକି ରଖିଲ?”
ଉତ୍ତର ଦେବାକୁ ଆମ ପାଖରେ ହୁଏତ ଅନେକ କଥା ଥିବ। କିନ୍ତୁ ଗୋଟିଏ କଥାର ଉତ୍ତର ମିଳିବା କଷ୍ଟକର—ଗାନ୍ଧୀଙ୍କ ଆଦର୍ଶ କେଉଁଠି?
ଗାନ୍ଧୀ ଛକରେ ପାର୍କିଂ ଦେଖିଲେ ଲାଗେ, ଗାଡ଼ି ରଖିବା ପାଇଁ ନିୟମ ନୁହେଁ, କେବଳ ସାହସ ଦରକାର। ଖାଲି ଜାଗା ଦେଖିଲେ ଗାଡ଼ି ରଖିଦିଅ। ରାସ୍ତା ଅଳ୍ପ ସଂକୁଚିତ ହେଲେ କ’ଣ ହେଲା? ଅନ୍ୟମାନେ ଟିକେ ଅପେକ୍ଷା କରିବେ। ଶେଷରେ ଆମର କାମଟା ତ ହୋଇଗଲା!
ଏହାକୁ ଯଦି ନାଗରିକ ସୁବିଧା କୁହାଯାଏ, ତେବେ ସହରୀୟ ଅବ୍ୟବସ୍ଥାକୁ ମଧ୍ୟ ବୋଧହୁଏ ‘ସ୍ୱାଧୀନତା’ କୁହିବାକୁ ପଡ଼ିବ।
ପଥଚାରୀଙ୍କ କଥା ଆଉ ନ ପଚାରିବା ଭଲ। ରାସ୍ତା ପାର ହେବାକୁ ହେଲେ ପ୍ରଥମେ ଭାଗ୍ୟ ଦେଖ, ତା’ପରେ ଡାହାଣ ଦେଖ, ବାମ ଦେଖ, ପୁଣି ଡାହାଣ ଦେଖ। ତଥାପି ଯଦି ଗାଡ଼ି ଆସିଯାଏ, ତେବେ ବୁଝିବାକୁ ପଡ଼ିବ—ପଥଚାରୀ ହେବା ମଧ୍ୟ ଏକ ସାହସିକ କାର୍ଯ୍ୟ!
ଆମେ ଅଭିଯୋଗ କରୁ—ରାସ୍ତା ଭଲ ନୁହେଁ। ଆମେ ଅଭିଯୋଗ କରୁ—ଟ୍ରାଫିକ୍ ଠିକ୍ ନାହିଁ। ଆମେ ଅଭିଯୋଗ କରୁ—ପାର୍କିଂ ବ୍ୟବସ୍ଥା ନାହିଁ। ଆମେ ଅଭିଯୋଗ କରୁ—ସହର ସଫା ନାହିଁ।
କିନ୍ତୁ ଆମେ ନିଜକୁ କେବେ ପଚାରୁ—ମୁଁ କ’ଣ କରୁଛି?
ରାସ୍ତାରେ ଅଳିଆ ପକାଇ ଆମେ ସ୍ୱଚ୍ଛତା ଚାହୁଁ। ନିୟମ ଭାଙ୍ଗି ଆମେ ଶୃଙ୍ଖଳା ଚାହୁଁ। ଅନ୍ୟର ରାସ୍ତା ଅଟକାଇ ଆମେ ନିଜ ପାଇଁ ସୁବିଧା ଚାହୁଁ। ତା’ପରେ ସମସ୍ତ ଦୋଷ ପ୍ରଶାସନର!
ଏହା ହେଉଛି ଆମର ସବୁଠାରୁ ବଡ଼ ବ୍ୟଙ୍ଗ।
ସହର ଆମର, ରାସ୍ତା ଆମର, ଦୋକାନ ଆମର, ଗାଡ଼ି ଆମର—କିନ୍ତୁ ଦାୟିତ୍ୱଟା କାହାର?
ଏବେ ଦରକାର କେବଳ ଆଲୋଚନା ନୁହେଁ, ସ୍ଥାନୀୟ ସମାଧାନ
ଗାନ୍ଧୀ ଛକକୁ ନେଇ କେବଳ ଅଭିଯୋଗ କିମ୍ବା ବ୍ୟଙ୍ଗ କରିଦେଲେ ସମସ୍ୟା ସମାଧାନ ହେବ ନାହିଁ। ଭବାନୀପାଟଣା ପୌରସଂସ୍ଥା, ଟ୍ରାଫିକ୍ ପୋଲିସ ଓ ସମ୍ପୃକ୍ତ ପ୍ରଶାସନ ମିଳି ଏହି ଛକ ପାଇଁ ଏକ ସ୍ପଷ୍ଟ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା କରିବା ଦରକାର।
ସ୍ଥାନୀୟ ଲୋକଙ୍କ ମୁଖ୍ୟ ଦାବି ହୋଇପାରେ—
୧. ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍:
ଗାନ୍ଧୀ ଛକ ଓ ଏହାର ଆଖପାଖରେ କେଉଁଠି ଦୁଇଚକିଆ ଓ ଚାରିଚକିଆ ଗାଡ଼ି ରହିବ, ତାହା ସ୍ପଷ୍ଟ ଭାବେ ଚିହ୍ନଟ କରାଯାଉ।
୨. ରାସ୍ତା ଅବରୋଧ ରୋକାଯାଉ:
ରାସ୍ତା କିମ୍ବା ପଥଚାରୀଙ୍କ ଚଳାଚଳ ପଥ ଅବରୋଧ ହେବା ଭଳି ପାର୍କିଂ ଉପରେ ନିୟମିତ ନଜର ରଖାଯାଉ।
୩. ଟ୍ରାଫିକ୍ ନିୟନ୍ତ୍ରଣ:
ବ୍ୟସ୍ତ ସମୟରେ ଆବଶ୍ୟକତା ଅନୁଯାୟୀ ଟ୍ରାଫିକ୍ ନିୟନ୍ତ୍ରଣ ଓ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉ।
୪. ପଥଚାରୀଙ୍କ ସୁରକ୍ଷା:
ରାସ୍ତା ପାର ହେବା ପାଇଁ ସ୍ପଷ୍ଟ pedestrian crossing, ଆବଶ୍ୟକ ସଙ୍କେତ ଓ ସୁରକ୍ଷିତ ଚଳାଚଳ ବ୍ୟବସ୍ଥା ଉପରେ ପ୍ରଶାସନ ଗୁରୁତ୍ୱ ଦେଉ।
୫. ଟ୍ରାଫିକ୍ ସାଇନ୍ ଓ ରୋଡ୍ ମାର୍କିଂ:
କେଉଁଠି ରହିବା ମନା, କେଉଁଠି ପାର୍କିଂ, କେଉଁ ଦିଗରେ ଯାତାୟାତ—ଏସବୁ ସ୍ପଷ୍ଟ କରିବା ପାଇଁ ଆବଶ୍ୟକ ସାଇନ୍ବୋର୍ଡ ଓ ରୋଡ୍ ମାର୍କିଂ କରାଯାଉ।
୬. ନିୟମିତ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ:
କେବଳ ଅଭିଯାନ ଦିନେ ନୁହେଁ, ନିୟମିତ ଭାବେ ଟ୍ରାଫିକ୍ ଓ ପାର୍କିଂ ନିୟମ ପାଳନ ଉପରେ ନଜର ରହୁ।
୭. ଦୋକାନୀ ଓ ନାଗରିକଙ୍କ ସହଭାଗିତା:
ବ୍ୟବସାୟୀ, ଅଟୋଚାଳକ, ଗାଡ଼ି ଚାଳକ, ପଥଚାରୀ ଓ ସ୍ଥାନୀୟ ନାଗରିକଙ୍କ ସହ ଆଲୋଚନା କରି ଛକର ସ୍ଥାୟୀ ବ୍ୟବସ୍ଥା ପାଇଁ ସ୍ଥାନୀୟ ପ୍ରୟୋଜନା ତିଆରି କରାଯାଉ।
କାରଣ ଗାନ୍ଧୀ ଛକକୁ ସୁନ୍ଦର କରିବା ପାଇଁ କେବଳ ରଙ୍ଗ ଦେବା ଯଥେଷ୍ଟ ନୁହେଁ; ଚଳାଚଳକୁ ସୁସଂଗଠିତ କରିବା ଦରକାର।
ଗାନ୍ଧୀଙ୍କ ନାଁ ଥିବା ଛକରେ ଯଦି ନାଗରିକ ଶୃଙ୍ଖଳା, ସୁରକ୍ଷିତ ଯାତାୟାତ ଓ ପରସ୍ପର ସମ୍ମାନ ଦେଖାଯାଏ, ତେବେ ସେହିଁ ହେବ ମହାତ୍ମାଙ୍କ ପ୍ରତି ଯଥାର୍ଥ ସମ୍ମାନ।
ମାଳା ପିନ୍ଧାଇବାଠାରୁ ନିୟମ ମାନିବା ବଡ଼।
ନାଁ ଉଚ୍ଚାରଣ କରିବାଠାରୁ ଆଦର୍ଶ ପାଳନ କରିବା ବଡ଼।
ତେଣୁ ପ୍ରଶ୍ନ ଏବେ ଏତିକି—
ଗାନ୍ଧୀ ଛକରେ ଗାନ୍ଧୀଙ୍କ ନାଁ ରହିବ, ନା ଗାନ୍ଧୀଙ୍କ ଆଦର୍ଶ ମଧ୍ୟ ଦେଖାଯିବ?
Thanks for reading: ଗାନ୍ଧୀ ଛକ: ନାଁ ମହାତ୍ମାଙ୍କର, ଚାଲିଛି ମନମାନି!, Sorry, my English is bad:)


