ଭବାନୀପାଟଣା, କଳାହାଣ୍ଡି: ଭବାନୀପାଟଣା ସହରର ପୁରୁଣାପଡ଼ା ପୋଖରୀର ସୁରକ୍ଷା, ସଂରକ୍ଷଣ ଓ ସ୍ଥାୟୀ ପୁନରୁଦ୍ଧାର ଦାବିରେ ପୁରୁଣାପଡ଼ା ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ପୋଖରୀର ବିକାଶ ପାଇଁ ପୂର୍ବରୁ ଅର୍ଥ ବ୍ୟୟ ଓ ନୂତନ ଯୋଜନାରେ ବ୍ୟୟବରାଦ ସତ୍ତ୍ୱେ କାର୍ଯ୍ୟ ଅଧପନ୍ତରିଆ ରହିଥିବା ନେଇ ପଡ଼ାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବୈଠକରେ ଇଂ. ନିରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସନ୍ତୋଷ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ଲକ୍ଷ୍ମୀନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।
୬୭ ଲକ୍ଷର ଅଟକଳ, ୨୨ ଲକ୍ଷ ଖର୍ଚ୍ଚ ପରେ ବି ଅଧପନ୍ତରିଆ କାମ
ବୈଠକରେ ଉପସ୍ଥିତ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ପୋଖରୀରୁ ପଙ୍କ ଉଦ୍ଧାର ଓ ଜଳ ନିଷ୍କାସନ ପାଇଁ ପୂର୍ବରୁ ୬୭ ଲକ୍ଷ ଟଙ୍କାର ଅଟକଳ ହୋଇଥିଲା। ସେଥିମଧ୍ୟରୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୋଖରୀର ସ୍ଥିତିରେ ଆଶାନୁରୂପ ସୁଧାର ଆସିନାହିଁ।
ଏହାପରେ 'ମେରାଇନ୍ ଡ୍ରାଇଭ୍' ଯୋଜନାରେ ପୋଖରୀର ପୁନରୁଦ୍ଧାର ପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା କୁହାଯାଉଛି। ମାତ୍ର ଏହି କାର୍ଯ୍ୟ ଆଗକୁ ବଢ଼ିପାରୁ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
ଦୁଇଥର ଟେଣ୍ଡର ବାତିଲ୍, କାମ କେବେ ଆରମ୍ଭ ହେବ?
ବୈଠକରେ ଉପସ୍ଥିତ କାଉନ୍ସିଲରମାନେ କହିଥିଲେ ଯେ ଲେସ୍ ଟେଣ୍ଡର ଯୋଗୁଁ କାର୍ଯ୍ୟର ଗୁଣବତ୍ତା ନେଇ ଆଶଙ୍କା ରହିଥିବାରୁ ଦୁଇଥର ଟେଣ୍ଡର ବାତିଲ୍ କରାଯାଇଛି। ତେବେ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କେବେ ଆରମ୍ଭ ହେବ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।
କେବଳ ସୌନ୍ଦର୍ଯ୍ୟକରଣ ନୁହେଁ, ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦିଅ
ପଡ଼ାବାସୀଙ୍କ ମତରେ, ପୋଖରୀର ବିକାଶ କେବଳ ସୌନ୍ଦର୍ଯ୍ୟକରଣ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ବିବାହ, ବ୍ରତ, ଦଶାହ କର୍ମ, କଳସ ଯାତ୍ରା ଭଳି ସାମାଜିକ ଓ ଧାର୍ମିକ କାର୍ଯ୍ୟ ପାଇଁ ପୋଖରୀକୁ ସୁବିଧାରେ ଯିବା, ଗାଧୋଇବା ଏବଂ ଆବଶ୍ୟକୀୟ ସଂସ୍କାର ସମ୍ପନ୍ନ କରିବା ପାଇଁ ସ୍ଥାୟୀ ବ୍ୟବସ୍ଥା ହେବା ଦରକାର।
ଜିଲ୍ଲାପାଳଙ୍କୁ ଭେଟିବ ସ୍ୱତନ୍ତ୍ର କମିଟି
ପୋଖରୀର ସ୍ଥାୟୀ ପୁନରୁଦ୍ଧାର ଓ ଅଧପନ୍ତରିଆ କାର୍ଯ୍ୟର ସମାଧାନ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଦାବିପତ୍ର ପ୍ରଦାନ କରିବାକୁ ବୈଠକରେ ସ୍ଥିର ହୋଇଛି।
ଏହି ବୈଠକରେ ଇନ୍ଦ୍ରଜିତ୍ ମାହାଖୁଡ଼, ସିଦ୍ଧାର୍ଥ ନାୟକ, ମନୋଜ ପାଣିଗ୍ରାହୀ, କଂଭୁ ଶବର, ନଳିନୀ ରାଉତ, ଅଶ୍ୱିନୀ ପ୍ରଧାନ, ସୀତାକାନ୍ତ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ଶ୍ରୀଧର ପଳାଇ, ବିକାଶ ପ୍ରଧାନ, ଅଶୋକ ଦାସ, କାମା ମହାରଣା, ଅଭିମନ୍ୟୁ ପ୍ରଧାନ, ଦୀପକ ମାହାଖୁଡ଼, ଗଙ୍ଗାଧର ପ୍ରଧାନ, କାଉନ୍ସିଲର ମହେନ୍ଦ୍ର ରାଉତ, ରଞ୍ଜୁକ୍ତା ପ୍ରଧାନ ଓ ବିଜେପି ଯୁବମୋର୍ଚ୍ଚାର ମାନସ ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପୁରୁଣାପଡ଼ା ପୋଖରୀର ପୁନରୁଦ୍ଧାର କେବଳ ଏକ ବିକାଶମୂଳକ କାର୍ଯ୍ୟ ନୁହେଁ, ଏହା ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଧାର୍ମିକ ଆବଶ୍ୟକତା ସହ ଜଡ଼ିତ। ତେଣୁ ବ୍ୟୟବରାଦ ଓ ଟେଣ୍ଡର ପ୍ରକ୍ରିୟାରେ ସୀମିତ ନରହି ପୋଖରୀର ସମ୍ପୂର୍ଣ୍ଣ ଓ ଗୁଣାତ୍ମକ ପୁନରୁଦ୍ଧାର କେବେ ହେବ, ତାହା ଏବେ ପ୍ରଶାସନ ପାଇଁ ଏକ ବଡ଼ ପ୍ରଶ୍ନ।
ସିଂହନାଦ (SIMHANAAD)
Thanks for reading: ପୁରୁଣାପଡ଼ା ପୋଖରୀ ପୁନରୁଦ୍ଧାରରେ ବିଳମ୍ବ କାହିଁକି? ୨୨ ଲକ୍ଷ ଖର୍ଚ୍ଚ ପରେ ବି ଅବ୍ୟବହୃତ, ୧.୯୫ କୋଟିର ଯୋଜନା ଅଟକିଛି!, Sorry, my English is bad:)

