ଭବାନୀପାଟଣା, ୨୨/୦୯/୨୦୨୬ (ସିଂହନାଦ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ଓ ଘଡ଼ଘଡ଼ିର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନାକୁ ନେଇ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଦେଶ ନଂ-୧୭୭୨/Emg., ତାରିଖ ୨୧/୦୯/୨୦୨୬ ଅନୁଯାୟୀ, ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସରକାରୀ ଅଧିକାରୀ ଓ ଫିଲ୍ଡ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି।
ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, ଛୁଟିରେ ଥିବା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ନିଜ ହେଡକ୍ୱାର୍ଟରକୁ ଫେରିବାକୁ କୁହାଯାଇଛି। ସେହିପରି ବିନା ଅନୁମତିରେ କେହି ହେଡକ୍ୱାର୍ଟର ଛାଡ଼ିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
ବର୍ଷାଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଓ ଜରୁରୀକାଳୀନ ସେବାକୁ ସକ୍ରିୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନିର୍ଦ୍ଦେଶ ଅବହେଳା କଲେ ସମ୍ପୃକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହି ଆଦେଶର ନକଲ ଭବାନୀପାଟଣା ଓ ଧର୍ମଗଡ଼ ଉପ-ଜିଲ୍ଲାପାଳ, ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପଠାଯାଇଛି।
ସିଂହନାଦ — ସ୍ୱାଧୀନ ସାମ୍ବାଦିକତା • ବିଶ୍ୱସନୀୟ ସମ୍ବାଦ • ଜନସ୍ୱାର୍ଥ
Thanks for reading: କଳାହାଣ୍ଡିରେ ପ୍ରବଳ ବର୍ଷା ଆଶଙ୍କା, ୨୨ରୁ ୨୫ ଯାଏଁ ଛୁଟି ବାତିଲ୍, Sorry, my English is bad:)

