ଲେଖକ : ହେମନ୍ତ କୁମାର ନାୟକ
“ସମୟ ବଡ଼ ବଳବାନ, ରାଜାକୁ ଭିକାରୀ କରେ”—ଏହା କେବଳ ଗୋଟିଏ ଢଗ ନୁହେଁ; ଏହା ଅହଂକାରୀଙ୍କ ପାଇଁ ଏକ ସତର୍କ ଘଣ୍ଟି। ଯିଏ ଆଜି କୁର୍ସିରେ ବସି ନିଜକୁ ସର୍ବଶକ୍ତିମାନ ଭାବୁଛି, ସେ ମନେ ରଖିବା ଦରକାର—କୁର୍ସି ସ୍ଥାୟୀ ନୁହେଁ, କ୍ଷମତା ସ୍ଥାୟୀ ନୁହେଁ, ତାଳି ସ୍ଥାୟୀ ନୁହେଁ, ଏପରିକି ନିଜ ଛାଇଁ ମଧ୍ୟ ସବୁବେଳେ ସାଙ୍ଗରେ ରହେ ନାହିଁ। ସ୍ଥାୟୀ ଯଦି କିଛି ଅଛି, ତେବେ ସେ କେବଳ ସମୟ।
ଆଜି ଯାହାଙ୍କ ଗୋଟିଏ ଇସାରାରେ ଦଶଜଣ ଦୌଡ଼ୁଛନ୍ତି, ସେମାନେ ମନେ ରଖନ୍ତୁ—କାଲି ସେହି ଇସାରାର ମୂଲ୍ୟ ଶୂନ୍ୟ ହୋଇପାରେ। ଆଜି ଯାହାଙ୍କ ଦୁଆରେ ଭିଡ଼, କାଲି ସେହି ଦୁଆର ଆଗରେ ନିରବତା ରହିପାରେ। ଆଜି ଯାହାଙ୍କ ନାମ ନେଲେ ଲୋକେ ମୁଣ୍ଡ ନୁଆଁନ୍ତି, କାଲି ସେହି ନାମଟି ଲୋକଙ୍କ ସ୍ମୃତିରୁ ମଧ୍ୟ ମିଛିଯାଇପାରେ।
କାରଣ ସମୟ କାହାର ଚାକର ନୁହେଁ।
ଆମ ସମାଜରେ କ୍ଷମତା ମିଳିଲେ କିଛି ଲୋକଙ୍କ ଚାଲିବା ଶୈଳୀ ବଦଳିଯାଏ। କଥାରେ ଅହଂକାର, ଆଖିରେ ଅବହେଳା ଏବଂ ମନରେ ଭ୍ରମ—“ମୋତେ କିଏ କ’ଣ କରିପାରିବ?”
ଏହି ଗୋଟିଏ ବାକ୍ୟ ହିଁ ପତନର ପ୍ରଥମ ସିଢ଼ି।
ମଣିଷ ଭୁଲିଯାଏ—ଯେଉଁ ଲୋକମାନଙ୍କ ଭୋଟ, ସମର୍ଥନ, ଭରସା କିମ୍ବା ସହଯୋଗରେ ସେ ଉପରକୁ ଉଠିଛି, ସେହି ଲୋକମାନେ ହିଁ ତାକୁ ତଳକୁ ଆଣିବାର ଶକ୍ତି ମଧ୍ୟ ରଖନ୍ତି।
ଗଣତନ୍ତ୍ରରେ ଲୋକେ ରାଜା ତିଆରି କରନ୍ତି; କିନ୍ତୁ ସେହି ଲୋକେ ରାଜାର ମୁକୁଟ ମଧ୍ୟ ଖୋଲିପାରନ୍ତି।
ତଥାପି କ୍ଷମତା ମିଳିଲେ କିଛି ଲୋକ ଜନତାକୁ ଭୁଲିଯାଆନ୍ତି। ଯେଉଁ ଲୋକଙ୍କ ଘରକୁ ଯାଇ ଦିନେ ହାତ ଯୋଡ଼ିଥିଲେ, କୁର୍ସି ମିଳିବା ପରେ ସେହି ଲୋକଙ୍କୁ ଦୁଆର ବାହାରେ ଠିଆ କରାଇ ରଖନ୍ତି।
କିନ୍ତୁ ରାଜନୀତିର ସବୁଠାରୁ ବଡ଼ ମଜା କ’ଣ ଜାଣନ୍ତି?
କୁର୍ସି ଯିବା ପରେ ରାଜା ପୁଣି ସେହି ଜନତାଙ୍କ ଦୁଆରକୁ ଯାଇ କହନ୍ତି—“ମୋତେ ଚିହ୍ନିଲେ?”
ଜନତା ମନେ ମନେ କହେ—“ଚିହ୍ନିଛୁ… ଆପଣ ସେହି ମହାଶୟ, ଯିଏ କୁର୍ସିରେ ବସିଥିବାବେଳେ ଆମକୁ ଚିହ୍ନୁନଥିଲେ!”
ଏହା ହେଉଛି ସମୟର ନିରବ ବ୍ୟଙ୍ଗ।
ଆଜି ଚାରିପାଖରେ ଯେଉଁମାନେ “ଜିନ୍ଦାବାଦ” କରୁଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ଆପଣଙ୍କ ସହିତ ରହିବେ—ତାହା ପରୀକ୍ଷା କରିବାକୁ ହେଲେ କୁର୍ସିଟି ଥରେ ଛାଡ଼ି ଦେଖନ୍ତୁ।
କୁର୍ସି ଗଲେ ଅନେକ ସମ୍ପର୍କର ଆସଲ ମୁହଁ ଦେଖାଯାଏ।
ଯେଉଁମାନେ ଗତକାଲି ପାଖରେ ବସି ଫଟୋ ଉଠାଉଥିଲେ, ସେମାନେ ଆଜି ଅନ୍ୟ ଶିବିରରେ ଦେଖାଯିବେ। ଯେଉଁମାନେ ଗତକାଲି ଆପଣଙ୍କ ପ୍ରଶଂସାରେ ଶହେ ମୁହଁରେ ଶହେ କଥା କହୁଥିଲେ, ସେମାନେ ଆଜି କହିବେ—“ଆମେ ତ ତାଙ୍କୁ କେବେ ସମର୍ଥନ କରିନଥିଲୁ!”
ବାହ୍! ସମୟ! ତୁମର ଲୀଳା ଅଜବ।
ତୁମେ ମଣିଷକୁ ଏତେ ସୁନ୍ଦର ଭାବେ ଚିହ୍ନାଇଦିଅ ଯେ, ତା’ପାଇଁ ଅଲଗା ପରିଚୟପତ୍ରର ଆବଶ୍ୟକତା ପଡ଼େ ନାହିଁ।
ଆଜିର ଧନୀ ମଣିଷ ଯଦି ଗରିବକୁ ଅପମାନ କରେ, ସେ ଭୁଲିଯାଏ—ଧନର ମଧ୍ୟ ଆୟୁଷ୍ୟ ଅଛି।
ଆଜିର ଅଧିକାରୀ ଯଦି ସାଧାରଣ ଲୋକଙ୍କୁ ତୁଚ୍ଛ ଭାବେ, ସେ ଭୁଲିଯାଏ—ସରକାରୀ କୁର୍ସିରେ ନାମ ଲେଖା ନଥାଏ।
ଆଜିର ନେତା ଯଦି ଜନତାଙ୍କ ମୁଣ୍ଡ ଉପରେ ପାଦ ରଖି ଚାଲନ୍ତି, ସେ ଭୁଲିଯାଆନ୍ତି—ଭୋଟର ଆଙ୍ଗୁଠିରେ ଲାଗିଥିବା କାଳି ହିଁ କୁର୍ସିର ଅସଲ ମାଲିକ।
ଆଜିର ପ୍ରଭାବଶାଳୀ ବ୍ୟକ୍ତି ଯଦି ଭାବନ୍ତି ତାଙ୍କର ପ୍ରଭାବ ଚିରସ୍ଥାୟୀ, ତେବେ ଇତିହାସର ଗୋଟିଏ ପୃଷ୍ଠା ଖୋଲି ପଢ଼ନ୍ତୁ।
କେତେ ରାଜା ଥିଲେ—ଆଜି କେଉଁଠି?
କେତେ ସାମ୍ରାଜ୍ୟ ଥିଲା—ଆଜି କେଉଁଠି?
କେତେ ଶକ୍ତିଶାଳୀ ଶାସକ ଥିଲେ—ଆଜି ସେମାନଙ୍କ ନାମ କେବଳ ଇତିହାସର ପୃଷ୍ଠାରେ।
ତେବେ ଏତେ ଅହଂକାର କାହିଁକି?
ମଣିଷ ଆସେ, କିଛି ଦିନ ଚମକେ, ତା’ପରେ ଚାଲିଯାଏ। କିନ୍ତୁ ତା’ର କର୍ମ ରହିଯାଏ।
ସେଥିପାଇଁ ଜୀବନରେ ଏମିତି କାମ କରନ୍ତୁ ନାହିଁ, ଯାହାକୁ ସମୟ ଦିନେ ଆପଣଙ୍କ ବିରୋଧରେ ସାକ୍ଷୀ କରିଦିଏ।
କାରଣ ସମୟର ଅଦାଲତରେ ପଦବୀ ଚାଲେ ନାହିଁ, ପରିଚୟ ଚାଲେ ନାହିଁ, ଟଙ୍କା ଚାଲେ ନାହିଁ—ଚାଲେ କେବଳ କର୍ମ।
ତେଣୁ ଆଜି ଯଦି ଆପଣଙ୍କ ପାଖରେ କ୍ଷମତା ଅଛି, ମଣିଷକୁ ଦଳନ୍ତୁ ନାହିଁ।
ଆଜି ଯଦି ଆପଣଙ୍କ ପାଖରେ ଧନ ଅଛି, ଗରିବକୁ ହସନ୍ତୁ ନାହିଁ।
ଆଜି ଯଦି ଆପଣଙ୍କ ପାଖରେ କୁର୍ସି ଅଛି, ସେହି କୁର୍ସିକୁ ନିଜର ବୋଲି ଭାବନ୍ତୁ ନାହିଁ।
କାରଣ—
କୁର୍ସି ଆପଣଙ୍କୁ ମିଳିଛି; ଆପଣ କୁର୍ସିକୁ ପାଇନାହାନ୍ତି।
ଏବଂ ଯେଦିନ ସମୟ ନିଷ୍ପତ୍ତି ନେବ ଯେ ଆପଣଙ୍କ ସମୟ ଶେଷ, ସେଦିନ ଆପଣଙ୍କ ପାଖରେ ରହିବ କେବଳ ଗୋଟିଏ ପ୍ରଶ୍ନ—
“ମୁଁ ଯେତେବେଳେ ରାଜା ଥିଲି, ମଣିଷ ହୋଇ କେତେ ମଣିଷଙ୍କ ପାଖରେ ଠିଆ ହୋଇଥିଲି?”
ସେହି ପ୍ରଶ୍ନର ଉତ୍ତର ଯଦି ନାହିଁ, ତେବେ ସିଂହାସନ ଥାଇ ମଧ୍ୟ ଆପଣ ଭିକାରୀ।
ଆଉ ଯଦି ଉତ୍ତର ଅଛି, ତେବେ କୁର୍ସି ନଥାଇ ମଧ୍ୟ ଆପଣ ରାଜା।
ଏହା ହିଁ ସମୟର ଶେଷ ନ୍ୟାୟ।
ମନେ ରଖନ୍ତୁ—
“ଆଜିର କୁର୍ସି ନେଇ ଅହଂକାର କରନ୍ତୁ ନାହିଁ।
କାଲି ସେହି କୁର୍ସି ଆପଣଙ୍କୁ ଚିହ୍ନିବ ନାହିଁ।
ଆଜିର ତାଳିରେ ମତୁଆଲା ହୁଅନ୍ତୁ ନାହିଁ।
କାଲି ସେହି ହାତ ଆପଣଙ୍କ ବିରୋଧରେ ଉଠିପାରେ।
କାରଣ—ସମୟ ବଡ଼ ବଳବାନ;
ରାଜାକୁ ଭିକାରୀ କରିବାକୁ ତା’ର ଗୋଟିଏ ମୁହୂର୍ତ୍ତ ହିଁ ପର୍ଯ୍ୟାପ୍ତ।”
— ଲେଖକ : ହେମନ୍ତ କୁମାର ନାୟକ
Thanks for reading: ସମୟ ବଡ଼ ବଳବାନ—ଆଜିର ରାଜା, କାଲି ଇତିହାସର ଭିକାରୀ!, Sorry, my English is bad:)

