କୁର୍ସି ମିଳିଲେ କଥାର ସ୍ୱର ବଦଳିଯାଏ। ପଦବୀ ମିଳିଲେ ପୁରୁଣା ପରିଚିତଙ୍କୁ ଚିହ୍ନିବାକୁ ମଧ୍ୟ ସମୟ ମିଳେନି। ଅଫିସ୍ରେ ଫାଇଲ୍ଠାରୁ ଅଧିକ ଧୂଳି ଜମେ ମଣିଷର ଆବେଦନ ଉପରେ। ଯିଏ କରଦାତାଙ୍କ ଟଙ୍କାରେ ଦରମା ପାଉଛନ୍ତି, ସେହି ଲୋକ ହିଁ ଜନତାଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇ ନିଜକୁ ରାଜା ବୋଲି ଭାବନ୍ତି।
ରାଜନୀତିର ଦୃଶ୍ୟ ଆହୁରି ରୋଚକ। ନିର୍ବାଚନ ବେଳେ ହାତ ଯୋଡ଼ି କହନ୍ତି—"ଆପଣମାନେ ମୋର ପରିବାର।" ଫଳାଫଳ ପରେ ଫୋନ୍ କଲେ ବ୍ୟସ୍ତ, ଦୁଆରକୁ ଗଲେ ବୈଠକ, ଆଉ ପାଞ୍ଚ ବର୍ଷ ପରେ ପୁଣି ସେହି ହସ, ସେହି ପ୍ରତିଶ୍ରୁତି!
ସମାଜରେ ଆଉ ଏକ ଅଜବ ପ୍ରଜାତି ଅଛନ୍ତି। ସେମାନେ ସତ୍ୟ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ। ପ୍ରଶ୍ନ କଲେ "ଅସଭ୍ୟ", ଚୁପ୍ ରହିଲେ "ଭଲ ଲୋକ"। ଅନ୍ୟାୟ ବିରୋଧରେ କଥା କହିଲେ "ବିବାଦୀୟ", ଚାଟୁକାରିତା କଲେ "ଭଦ୍ର"!
ଅହଙ୍କାରର ସବୁଠୁ ବଡ଼ ସମସ୍ୟା ହେଲା, ଏହା ମଣିଷକୁ ନିଜର ଶେଷ ଠିକଣା ଭୁଲାଇ ଦେଏ। ଶ୍ମଶାନରେ କେବେ କାହାର ପଦବୀ ଲେଖା ଯାଏନି। ସେଠାରେ ସମସ୍ତଙ୍କର ପରିଚୟ ଏକ—ମଣିଷ।
ସମୟ ବହୁତ ନିଷ୍ଠୁର ବିଚାରପତି। ଆଜି ଯିଏ ଅନ୍ୟକୁ ଅପମାନ କରୁଛି, କାଲି ସେହି ମଣିଷ ଅବହେଳାର ସ୍ୱାଦ ଚାଖିପାରେ। ଆଜି ଯିଏ କ୍ଷମତାର ନିଶାରେ ମତାଳ, କାଲି ସେହି କୁର୍ସିରେ ଅନ୍ୟ କେହି ବସିଥିବେ।
ତେଣୁ ଅହଙ୍କାର କରିବା ପୂର୍ବରୁ ଥରେ ଆଇନାରେ ନୁହେଁ, ଶ୍ମଶାନର ନିରବତାକୁ ଦେଖନ୍ତୁ। ସେଠାରେ ସମସ୍ତ ପଦବୀ, ସମସ୍ତ ଧନ, ସମସ୍ତ କ୍ଷମତା ଏକ ମୁଠା ପାଉଁଶ ଆଗରେ ହାର ମାନିଯାଏ।
ଦିନେ ସମସ୍ତ ଫେରିଯିବା। ଫେରିଯିବ କେବଳ ମଣିଷର ନାମ ନୁହେଁ, ତା'ର କର୍ମର କାହାଣୀ ମଧ୍ୟ। ତେଣୁ କୁର୍ସିର ଗର୍ବ ନୁହେଁ, ମଣିଷ ପ୍ରତି ସମ୍ମାନ ହିଁ ଶେଷ ପର୍ଯ୍ୟନ୍ତ ଅମର ରହିଥାଏ।
ଏହି ବ୍ୟଙ୍ଗାତ୍ମକ ଲେଖା ସମାଜରେ ଦେଖାଯାଉଥିବା ପ୍ରବୃତ୍ତି ଉପରେ ଆଧାରିତ; କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ପଦାଧିକାରୀଙ୍କୁ ଲକ୍ଷ୍ୟ କରି ଲେଖାଯାଇନାହିଁ।
Thanks for reading: ଦିନେ ସମସ୍ତ ଫେରିଯିବା… କିନ୍ତୁ ଅହଙ୍କାର ତ ଆଜି ମଧ୍ୟ କମୁନି!, Sorry, my English is bad:)

