ପିଆଜ ଚାଷୀଙ୍କୁ ବିହନ ବି ଦେଇପାରୁନାହାନ୍ତି ସରକାର!

 


କଳାହାଣ୍ଡିରୁ କୃଷି ବ୍ୟବସ୍ଥାକୁ ନେଇ କଡ଼ା ପ୍ରଶ୍ନ ଉଠାଇଲେ ଅମୀୟ ପଟନାୟକ; ଫସଲ ବୀମା, ସାର କଳାବଜାରୀ ଓ ଶୀତଳ ଭଣ୍ଡାର ପ୍ରସଙ୍ଗରେ ବର୍ଷିଲେ

ଭବାନୀପାଟଣା, ୩୦ ଜୁଲାଇ (ସିଂହନାଦ): କଳାହାଣ୍ଡିର ପିଆଜ ଚାଷୀ ଆଜି ବିହନ, ସାର, ଶୀତଳ ଭଣ୍ଡାର ଏବଂ ଉଚିତ ବଜାର ଦର ଭଳି ମୌଳିକ ସୁବିଧାରୁ ବଞ୍ଚିତ। ପିଆଜ ଚାଷୀଙ୍କ ପାଇଁ ବିହନ ଯୋଗାଇବାରେ ସରକାର ବିଫଳ ହୋଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ଅଖିଳ ଭାରତ କିଷାନ କଂଗ୍ରେସ ତଥା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ରାଷ୍ଟ୍ରୀୟ ସଂଯୋଜକ ଅମୀୟ କୁମାର ପଟନାୟକ।

କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ ସମବାୟ ସମ୍ମିଳନୀ ଓ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ପଞ୍ଚାୟତ ସ୍ତରରେ ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଏକ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିଛି।

ଅମୀୟ ପଟନାୟକ ଦାବି କରିଥିଲେ ଯେ କୃଷି ବୀମା ପଞ୍ଜିକରଣର ଶେଷ ତାରିଖକୁ ୩୧ ଜୁଲାଇ ପରିବର୍ତ୍ତେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ସେହିପରି ପ୍ରତ୍ୟେକ ଗ୍ରାମକୁ ଫସଲ ବୀମାର ଏକକ ୟୁନିଟ୍ ଭାବେ ଘୋଷଣା କରି ଚାଷୀଙ୍କୁ ଯଥାର୍ଥ ସୁରକ୍ଷା ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ।

ସେ ଆହୁରି ଅଭିଯୋଗ କରିଥିଲେ ଯେ ରାଜ୍ୟରେ ସାରର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀକୁ ପ୍ରୋତ୍ସାହନ ଦିଆଯାଉଛି। ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଉପରେ ପଡ଼ୁଛି।

କଳାହାଣ୍ଡିରେ ଚଳିତ ବର୍ଷ ପ୍ରାୟ ୪୫ ହଜାର ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦନ ହୋଇଥିଲେ ମଧ୍ୟ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ଫଳରେ ସେମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପିଆଜ ସଂରକ୍ଷଣ ପାଇଁ ନିର୍ମିତ ସାଇତା ଘରଗୁଡ଼ିକ ଅବ୍ୟବହୃତ ହୋଇ କୁକୁଡ଼ା ଘରରେ ପରିଣତ ହୋଇଥିବା ବୋଲି ମଧ୍ୟ ସେ କହିଥିଲେ।

ଅମୀୟ ପଟନାୟକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବ ସରକାର ଅମଳରେ ପିଆଜ ପାଇଁ ଶୀତଳ ଭଣ୍ଡାର ନିର୍ମାଣ ହୋଇନଥିଲା ଏବଂ ବର୍ତ୍ତମାନ ସରକାର ପିଆଜ ଚାଷୀଙ୍କୁ ବିହନ ଯୋଗାଇବାରେ ବିଫଳ ହୋଇଛନ୍ତି। ସେ କୃଷିମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ମଧ୍ୟ ସମାଲୋଚନା କରିଥିଲେ।

ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାୟକ, ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାଖୁଡ଼, ବରିଷ୍ଠ କଂଗ୍ରେସ ନେତା ଧନୁର୍ଧର ଗହୀର, ସିଦ୍ଧାର୍ଥ ନାୟକ, ସୁଦର୍ଶନ ବିଶ୍ୱାଳଙ୍କ ସମେତ ବିଭିନ୍ନ ବ୍ଲକ୍ ସଭାପତି ଓ ଚାଷୀ ନେତାମାନେ ଉପସ୍ଥିତ ଥିଲେ।

Thanks for reading: ପିଆଜ ଚାଷୀଙ୍କୁ ବିହନ ବି ଦେଇପାରୁନାହାନ୍ତି ସରକାର!, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.