ବିକାଶର ବ୍ୟାନର ହସୁଛି, ଲୋକେ କାନ୍ଦୁଛନ୍ତି
ଭବାନୀପାଟଣା: କଳାହାଣ୍ଡିରେ ବିକାଶ ଏତେ ହୋଇଛି ଯେ ତାହାକୁ ଖୋଜିବା ପାଇଁ ଏବେ ବୋଧହୁଏ ଡ୍ରୋନ୍ ଲଗାଇବାକୁ ପଡ଼ିବ! ସରକାରୀ ଫାଇଲରେ ଜିଲ୍ଲା ଚମକୁଛି, କିନ୍ତୁ ଗାଁର ଯୁବକ ଚାକିରି ଖୋଜି ରାଜ୍ୟ ବାହାରେ ଘୁରୁଛି।
ବେକାରୀ ଏପରି ବଢ଼ିଛି ଯେ ଡିଗ୍ରୀ ଧରିଥିବା ଯୁବକମାନେ ଏବେ ଚାକିରି ବଦଳରେ ଦାଦନ ଗାଡ଼ିର ସମୟସୂଚୀ ମୁଖସ୍ଥ କରୁଛନ୍ତି। ଅନ୍ୟପଟେ ନେତାମାନେ ବିକାଶର ଗପ ଶୁଣାଇ ଲୋକଙ୍କୁ ଏମିତି ସ୍ୱପ୍ନ ଦେଖାଉଛନ୍ତି, ଯାହା ଘୁମ ଭାଙ୍ଗିଲେ ଆଉ ଦେଖାଯାଏ ନାହିଁ।
ଚାଷୀ ଫସଲର ଦାମ ପାଇଁ ଚିନ୍ତିତ, ରୋଗୀ ଡାକ୍ତର ଖୋଜୁଛି, ଛାତ୍ର ଚାକିରି ଖୋଜୁଛି, ଆଉ ପ୍ରଶାସନ ରିପୋର୍ଟରେ ସଫଳତା ଖୋଜୁଛି। ସବୁକିଛି ଠିକ୍ ଚାଲିଛି ବୋଲି କୁହାଯାଉଛି, କେବଳ ଲୋକଙ୍କ ଜୀବନଟା ଛାଡ଼ି!
କୁହାଯାଉଛି କଳାହାଣ୍ଡି ବଦଳୁଛି। ହଁ, ବଦଳୁଛି ନିଶ୍ଚୟ—ଗାଁ ଖାଲି ହେଉଛି, ଦାଦନ ତାଲିକା ଲମ୍ବା ହେଉଛି, ଆଉ ପ୍ରତିଶ୍ରୁତିର ସଂଖ୍ୟା ରେକର୍ଡ ଭାଙ୍ଗୁଛି!
Thanks for reading: କାନ୍ଦୁଛି କଳାହାଣ୍ଡି...!, Sorry, my English is bad:)

