ଭବାନୀପାଟଣା, ବିଶେଷ ପ୍ରତିନିଧି:ଦେଶରେ ସ୍ମାରକ ସୁରକ୍ଷା ପାଇଁ ଆଇନ ଅଛି, କିନ୍ତୁ ଭବାନୀପାଟଣାର ବଡ଼ପଡ଼ା (ଧୋବାପଡ଼ା)ର ଦେଶୀ ମଦ କୋଠି ପାଇଁ ହୁଏତ ତାଠାରୁ ମଧ୍ୟ ଶକ୍ତିଶାଳୀ କୌଣସି ଅଦୃଶ୍ୟ ସୁରକ୍ଷା କବଚ କାମ କରୁଛି! ବର୍ଷ ବର୍ଷ ଧରି ଅଭିଯୋଗ, ଦାବି ଓ ନିବେଦନ ଚାଲିଥିଲେ ମଧ୍ୟ କୋଠିଟି ନିଜ ସ୍ଥାନରେ ଏମିତି ଅଟଳ ରହିଛି, ଯେପରି ଏହାକୁ ଘୁଞ୍ଚାଇବା ମଣିଷ ନୁହେଁ, ଭଗବାନଙ୍କ ପକ୍ଷରେ ମଧ୍ୟ ସମ୍ଭବ ନୁହେଁ!
ଆଶ୍ଚର୍ଯ୍ୟର ବିଷୟ ହେଉଛି, ଯେଉଁ ପଡ଼ାରେ ପୂର୍ବତନ ନଗରପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ବିଧାୟକ, ବର୍ତ୍ତମାନର ବିଧାୟକ ଓ ବହୁ ପ୍ରଭାବଶାଳୀ ନେତାଙ୍କ ଘର ରହିଛି, ସେହି ପଡ଼ାରେ ମଦ କୋଠିକୁ ନେଇ କାହାରି ମୁହଁରୁ ଗୋଟିଏ ଜୋରଦାର ଶବ୍ଦ ମଧ୍ୟ ବାହାରୁ ନାହିଁ। ଏହାକୁ ଦେଖି ସାଧାରଣ ଲୋକେ ପଚାରୁଛନ୍ତି—"ମଦ କୋଠି ଏତେ ପ୍ରଭାବଶାଳୀ, ନା ଜନପ୍ରତିନିଧିମାନେ ଏତେ ଅସହାୟ?"
ଏହି କୋଠିର ଚାରିପାଖରେ ସ୍କୁଲ, ଶିବ ମନ୍ଦିର, ଭଣ୍ଡେଶ୍ୱର ମନ୍ଦିର, ଅଲେଖ ମହିମା ଧର୍ମପୀଠ ଓ ଅନେକ ଶିକ୍ଷିତ ପରିବାର ଥିବା ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନାହିଁ। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନ ହେବାରୁ ଲୋକଙ୍କ ମନରେ ସନ୍ଦେହ ବଢ଼ିବାରେ ଲାଗିଛି।
ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି। "ଯଦି ଏହି ମଦ କୋଠି କୌଣସି ଧନୀ ବସ୍ତି କିମ୍ବା VIP ଅଞ୍ଚଳରେ ଥାଆନ୍ତା, ତେବେ କି ଏତେ ବର୍ଷ ଧରି ରହିପାରିଥାଆନ୍ତା?" ଏହି ପ୍ରଶ୍ନର ଉତ୍ତର କେହି ଦେଉନାହାନ୍ତି, କିନ୍ତୁ ପ୍ରଶ୍ନଟି ଦିନକୁ ଦିନ ଅଧିକ ତୀବ୍ର ହେଉଛି।
ଏବେ ବଡ଼ପଡ଼ାବାସୀଙ୍କ କହିବା କଥା—"ନେତା ବଦଳିଲେ, ସରକାର ବଦଳିଲା, ଅଧିକାରୀ ବଦଳିଲେ, କିନ୍ତୁ ମଦ କୋଠିର ଭାଗ୍ୟ ବଦଳିଲା ନାହିଁ।"
Thanks for reading: "ନେତାଙ୍କ ପଡ଼ାରେ ମଦ କୋଠି, କିନ୍ତୁ କାହାର ଆଖିରେ ପଡ଼ୁନି !", Sorry, my English is bad:)

