ଭବାନୀପାଟଣା, ୩୧ ଅକ୍ଟୋବର ୨୦୨୬ | ସିଂହନାଦ (SIMHANAAD)
କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଜଙ୍ଗଲ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ଓ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ଦକ୍ଷିଣ ବନଖଣ୍ଡ। ସାଇସୁରଣୀ ରେଞ୍ଜରେ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ବନ ବିଭାଗ ୭ ଜଣଙ୍କୁ ଗିରଫ କରିବା ସହ ୨ଟି କଲରାପତରିଆ ବାଘଛାଲ, ବନ୍ୟଜନ୍ତୁଙ୍କ ଶରୀରର ବିଭିନ୍ନ ଅବଶେଷ, ଅସ୍ତ୍ରଶସ୍ତ୍ର ଓ ଗୋଟିଏ ଜୀବନ୍ତ ବାର୍ହା ଜବତ କରିଛି।
ବନ ବିଭାଗର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ କାର୍ଲାପାଟ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ବାସିନ୍ଦା। ସେମାନଙ୍କ ମଧ୍ୟରେ ଡାବ୍ରିଗୁଡ଼ାର କୁମୁଦ ରାଉତ, ପାନଭଟାର ତରଙ୍ଗ ପାତ୍ର ଏବଂ ତଳ ଆମପଦର ଗ୍ରାମର ସନ୍ତୋଷ କୁମାର ଜାଲ, ଅର୍ଜୁନ ମାଝୀ, ନୀଳକଣ୍ଠ ସାହୁ, ଆନନ୍ଦ ମାଝୀ ଓ ଲେଲି ମାଝୀ ରହିଛନ୍ତି।
ଚଢ଼ାଉ ସମୟରେ ବନ ବିଭାଗ ୨ଟି କଲରାପତରିଆ ବାଘଛାଲ ସହ ନଖ, ହାଡ଼, ଦାନ୍ତ, ଗୋଫ ଓ ଅନ୍ୟାନ୍ୟ ଚମଡ଼ା ଖଣ୍ଡ ଜବତ କରିଛି। ଏହାସହ ପ୍ରାୟ ୧୦ କିଲୋଗ୍ରାମ ଓଜନର ଗୋଟିଏ ଜୀବନ୍ତ ବାର୍ହା ଏବଂ ଏକ ଗୋଧିର ମୁଣ୍ଡ ମଧ୍ୟ ଜବତ ହୋଇଛି।
ଅନ୍ୟ ଜବତ ସାମଗ୍ରୀ ମଧ୍ୟରେ ଦେଶୀ ମୁହଁଲୋଡିଂ ବନ୍ଧୁକ, ୭ ଗ୍ରାମ ବାରୁଦ, ୨୦୬ଟି ଗୁଳି, ବନ୍ଧୁକ ସଫା କରିବା ରଡ୍, ଗୋଟିଏ ଧନୁ ଓ ଦୁଇଟି ତୀର ରହିଛି।
ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଗିରଫ ୭ ଜଣଙ୍କୁ କୋର୍ଟରେ ହାଜର କରାଯାଇଛି। ଏହି ରାକେଟ୍ରେ ଆଉ କେତେଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ବନ ବିଭାଗ ତଦନ୍ତ ଜାରି ରଖିଛି। କେତେକ ସନ୍ଦିଗ୍ଧ ବ୍ୟକ୍ତି ଫେରାର ଥିବା ମଧ୍ୟ ଜଣାପଡ଼ିଛି।
କଳାହାଣ୍ଡିର ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଏହି ଘଟଣା ଗମ୍ଭୀର ଚିନ୍ତାର ବିଷୟ। ବନ୍ୟପ୍ରାଣୀ ଶିକାର ଓ ଅବୈଧ ବ୍ୟବସାୟର ମୂଳ ନେଟୱାର୍କକୁ ଚିହ୍ନଟ କରିବା ସହ ଏଥିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ଆବଶ୍ୟକ।
ସିଂହନାଦ (SIMHANAAD)
Thanks for reading: କଳାହାଣ୍ଡିରେ ବନ୍ୟପ୍ରାଣୀ ଶିକାର ଓ ଚୋରାଚାଲାଣ ରାକେଟ୍ ଠାବ; ୭ ଗିରଫ, ୨ଟି କଲରାପତରିଆ ବାଘଛାଲ ଜବତ, Sorry, my English is bad:)

