ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଏବେ ଓଡ଼ିଶାରେ ଚିନ୍ତା ବଢ଼ାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭାରୀ ବର୍ଷା ସହ ଜଳବନ୍ଦୀ ଓ ଭୂସ୍ଖଳନ ଦେଖାଦେଇଛି। ୨୪ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ବିପଦପ୍ରବଣ ଅଞ୍ଚଳରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ରିପୋର୍ଟ ମିଳିଛି।
ବର୍ଷାର ପ୍ରଭାବରେ ରାୟଗଡ଼ା ଡିଭିଜନର ମାଲିଗୁଡ଼ା–ଛତ୍ରୀପୁଟ ମଧ୍ୟରେ ଭୂସ୍ଖଳନ ହୋଇ ରେଳ ଧାରଣା ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ କେତେକ ଟ୍ରେନ୍ ବାତିଲ ହୋଇଥିବାବେଳେ ଅନ୍ୟ କିଛି ଟ୍ରେନ୍ର ଚଳାଚଳରେ ପରିବର୍ତ୍ତନ କରାଯାଇଛି।
କେବଳ ରେଳପଥ ନୁହେଁ, ବର୍ଷାରେ ବିଭିନ୍ନ ଅଞ୍ଚଳର ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ନଦୀ ଓ ଜଳାଶୟର ଜଳସ୍ତର ଉପରେ ପ୍ରଶାସନ ନଜର ରଖିଥିବାବେଳେ ନିମ୍ନାଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି।
ଏପଟେ ଆହୁରି ବର୍ଷାର ପୂର୍ବାନୁମାନ ଥିବାରୁ ଭୂସ୍ଖଳନପ୍ରବଣ ପାହାଡ଼ିଆ ଅଞ୍ଚଳ, ନଦୀକୂଳ ଓ ନିମ୍ନାଞ୍ଚଳରେ ବିପଦ ବଢ଼ିବାର ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି।
Thanks for reading: ବର୍ଷାର କରାଳ ରୂପ: ଓଡ଼ିଶାରେ ବଢ଼ିଲା ବନ୍ୟା ଭୟ, Sorry, my English is bad:)


