ଭବାନୀପାଟଣା, ୧୧/୦୯/୨୦୨୬ (ସିଂହନାଦ/SIMHANAAD): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମାଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ଅବସରରେ ଗୁରୁ-ଶିଷ୍ୟ ସମ୍ପର୍କର ମହତ୍ତ୍ୱକୁ ସ୍ମରଣ କରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପାରମ୍ପରିକ ଭାବେ ଗୁରୁ ଦିବସ ପାଳନ ସହ ବିଦ୍ୟାଳୟରୁ ଅବସର ନେଇଥିବା ୩ ଜଣ ଶିକ୍ଷୟିତ୍ରୀଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରୀନା ପାଣିଗ୍ରାହୀ, ସହକାରୀ ଶିକ୍ଷୟିତ୍ରୀ ବିଦୁଲତା ଦାଶ ଓ ମମତା ବିଶିଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ସମ୍ବର୍ଦ୍ଧନା ଗ୍ରହଣ କରି ଅବସରପ୍ରାପ୍ତ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ କାର୍ଯ୍ୟ କରିବା ସମୟର ଅନୁଭୂତି ଓ ସ୍ମୃତିକୁ ସ୍ମରଣ କରିଥିଲେ। ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଗଢ଼ି ଉଠିଥିବା ସ୍ନେହ ଓ ଆତ୍ମୀୟତା ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ସେମାନେ କହିଥିଲେ। ଏଥିସହ ଗୁରୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟର ସମ୍ପର୍କ ସବୁବେଳେ ଅତୁଟ ରହିବ ବୋଲି ଆଶାବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ମୋନାଲିସା ମହାପାତ୍ର ପରିଚାଳନା କରିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରୀନା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦୁଲତା ଦାଶ, ମମତା ବିଶି, ଚପଳା ସୁଆର, ନିର୍ମଳା ଦାଶ, ରୀନା ଚୌଧୁରୀ, ପ୍ରିୟମ୍ବଦା ପରିଡ଼ା, ସସ୍ମିତା ପ୍ରଧାନ, ସୁନିତା ଦାଶ, ରଜନୀକାନ୍ତ ମାଝୀ ଓ ହିମାଞ୍ଚଳ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ।
ଗୁରୁ ଦିବସର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ମଧ୍ୟରେ ଥିବା ଆତ୍ମୀୟ ସମ୍ପର୍କକୁ ପୁଣିଥରେ ଉଜ୍ଜୀବିତ କରିଥିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଗୁରୁଙ୍କ ପ୍ରତି ସମ୍ମାନର ଭାବନାକୁ ଅଧିକ ଦୃଢ଼ କରିଥିଲା।
ଶେଷରେ ଶିକ୍ଷୟିତ୍ରୀ ଚନ୍ଦ୍ରିକା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Thanks for reading: ଗୁରୁଙ୍କୁ ସମ୍ମାନ, ସ୍ମୃତିକୁ ସମ୍ମାନ, Sorry, my English is bad:)

