ଭୁବନେଶ୍ୱର, ୫ ଅଗଷ୍ଟ: ସିଂହନାଦ: ସାଇବର ଅପରାଧ ତଦନ୍ତ, ଡିଜିଟାଲ୍ ଫୋରେନସିକ୍ ଓ ବୈଜ୍ଞାନିକ ପୋଲିସିଂକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର CID-କ୍ରାଇମବ୍ରାଞ୍ଚ ଏବଂ ଭୁବନେଶ୍ୱରସ୍ଥିତ National Forensic Sciences University (NFSU) ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି। ଅଗଷ୍ଟ ୪ ତାରିଖରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବାବେଳେ ଏହା ମାଧ୍ୟମରେ ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ୍ ପ୍ରମାଣ ପରିଚାଳନା କ୍ଷେତ୍ରରେ ପୋଲିସର ଦକ୍ଷତା ବଢ଼ାଯିବ।
ଚୁକ୍ତି ସ୍ୱାକ୍ଷର ସମୟରେ ଓଡ଼ିଶା ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଉପସ୍ଥିତ ଥିଲେ। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଏବଂ NFSU ଭୁବନେଶ୍ୱର କ୍ୟାମ୍ପସର ନିର୍ଦ୍ଦେଶିକା ଡ. ପୁରବୀ ପୋଖରିୟାଲ ଚୁକ୍ତିର ଆନୁଷ୍ଠାନିକ ଆଦାନପ୍ରଦାନ କରିଥିଲେ। ଏହାପରେ ଡିଜିପି ‘Cyber Crime Investigation and Digital Forensics’ ଶୀର୍ଷକ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ।
ଏହି MoU ଅନୁସାରେ ୩୪ଟି ପୋଲିସ ଜିଲ୍ଲା ଓ କ୍ରାଇମବ୍ରାଞ୍ଚରୁ ମୋଟ ୪୮୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚ୍ରେ ତାଲିମ ଦିଆଯିବ। ଜାନୁଆରୀ ୨୦୨୭ ସୁଦ୍ଧା ଏହି ପ୍ରଶିକ୍ଷଣ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରହିଛି। ପ୍ରତ୍ୟେକ ବ୍ୟାଚ୍ରେ ୩୦ ଜଣ କର୍ମଚାରୀ ରହିବେ ଏବଂ କନଷ୍ଟେବଲ୍ଠାରୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (DSP) ପର୍ଯ୍ୟନ୍ତ ଅଧିକାରୀ ଏଥିରେ ସାମିଲ ହେବେ।
ପ୍ରତ୍ୟେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୬ ଦିନିଆ ହେବ। ଏଥିରେ ୫ ଦିନ NFSUରେ କ୍ଲାସ୍ରୁମ୍ ଓ ଲାବୋରେଟୋରୀ ତାଲିମ ଏବଂ ଗୋଟିଏ ଦିନ ଓଡ଼ିଶା ପୋଲିସର Cyber Complexରେ ପ୍ରାକ୍ଟିକାଲ୍ ଟ୍ରେନିଂ ଦିଆଯିବ। ଡିଜିଟାଲ୍ ପ୍ରମାଣ ସଂଗ୍ରହ, ସଂରକ୍ଷଣ ଓ ବୈଜ୍ଞାନିକ ବିଶ୍ଳେଷଣ ଉପରେ ଏହି ପ୍ରଶିକ୍ଷଣରେ ଗୁରୁତ୍ୱ ରହିବ।
ଓଡ଼ିଶା ପୋଲିସ ଅନୁସାରେ ସାଇବର ଅପରାଧର ରୂପ ଦ୍ରୁତଗତିରେ ବଦଳୁଛି। ମ୍ୟୁଲ୍ ଆକାଉଣ୍ଟ ଠକେଇ, ଅନଲାଇନ୍ ଇନଭେଷ୍ଟମେଣ୍ଟ ସ୍କାମ୍ ଓ ‘ଡିଜିଟାଲ୍ ଆରେଷ୍ଟ’ ଭଳି ମାମଲାରେ ଡିଜିଟାଲ୍ ପ୍ରମାଣ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଏହି କାରଣରୁ ଇଲେକ୍ଟ୍ରୋନିକ୍ ପ୍ରମାଣକୁ ଠିକ୍ ଭାବେ ଜବତ, ସଂରକ୍ଷଣ ଓ ପରିଚାଳନା କରିବାର ଦକ୍ଷତା ପୋଲିସ ପାଇଁ ଆବଶ୍ୟକ ବୋଲି ଡିଜିପି କହିଛନ୍ତି।
ସାଇବର ଅପରାଧ ମୁକାବିଲା ପାଇଁ ରାଜ୍ୟରେ ୨୦ଟି ନୂଆ Cyber Crime and Economic Offences Police Station ସ୍ଥାପନ କରାଯାଇଥିବା ଏବଂ ପୋଲିସ ଥାନାଗୁଡ଼ିକୁ ପ୍ରାୟ ୧୫ କୋଟି ଟଙ୍କାର ଆଧୁନିକ ହାର୍ଡୱେର ଓ ସଫ୍ଟୱେର ଯୋଗାଇ ଦିଆଯାଇଥିବା ଡିଜିପି ସୂଚନା ଦେଇଛନ୍ତି। NFSU ସହ ହୋଇଥିବା ସହଯୋଗ କେବଳ ତାଲିମରେ ସୀମିତ ନରହି କ୍ରାଇମ୍ ସିନ୍ ମ୍ୟାନେଜମେଣ୍ଟ, ଉଚ୍ଚଶିକ୍ଷା, ମିଳିତ ଗବେଷଣା, ଫୋରେନସିକ୍ ଭିତ୍ତିଭୂମି ବିକାଶ ଓ ବୈଷୟିକ ପରାମର୍ଶ କ୍ଷେତ୍ରକୁ ମଧ୍ୟ ବିସ୍ତାରିତ ହେବ।
ସିଂହନାଦ ନ୍ୟୁଜ୍ ଡେସ୍କ
Thanks for reading: ସାଇବର ଅପରାଧ ତଦନ୍ତକୁ ମିଳିବ ନୂଆ ଗତି, NFSU ସହ ଓଡ଼ିଶା ପୋଲିସର ୫ ବର୍ଷିଆ MoU, Sorry, my English is bad:)

