ନର୍ଲା, ୨୯/୮ — SIMHANAAD: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଙ୍କେଲ ଗ୍ରାମର ବାପାଛେଉଣ୍ଡ ଝିଅ ମମତା ଭୋଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ସୋସିଆଲ୍ ୱେଲଫେୟାର ଅର୍ଗାନାଇଜେସନ୍ର ସଭାନେତ୍ରୀ ତଥା ସାମାଜସେବୀ ଶାନ୍ତି ମାଝୀ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।
ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ମମତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। ଖାଦ୍ୟ ଓ ପାନୀୟ ଗ୍ରହଣ ନକରିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ଜଣାପଡ଼ିଛି।
ଚିକିତ୍ସା ସମୟରେ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିବା ପରେ ଗତ ୨୬ ତାରିଖରେ ମମତାଙ୍କୁ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଥିଲା। ଆଉ ଦୁଇ ୟୁନିଟ୍ ରକ୍ତ ମଧ୍ୟ ମହଜୁଦ ରଖାଯାଇଥିବା କୁହାଯାଇଛି। ତେବେ ଚିକିତ୍ସା ଚାଲିଥିବା ବେଳେ ଅଚାନକ ମମତାଙ୍କ ମୃତ୍ୟୁ ଘଟିଥିଲା।
ମମତାଙ୍କ ମୃତଦେହକୁ ନିଜ ଗାଁ ବାଙ୍କେଲକୁ ନେବା ପାଇଁ ପରିବାର ନିକଟରେ ଅର୍ଥ ନଥିବାରୁ ସମସ୍ୟା ଦେଖାଦେଇଥିଲା। ଏହି ସମୟରେ ସାମାଜସେବୀ ଶାନ୍ତି ମାଝୀଙ୍କ ଫେସବୁକ୍ ମୋନେଟାଇଜେସନ୍ରୁ ମିଳିଥିବା ପ୍ରଥମ ଆୟର ଅର୍ଥ ତାଙ୍କ ଆକାଉଣ୍ଟକୁ ଆସିଥିଲା। ସେହି ଅର୍ଥରେ ସେ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରି ମମତାଙ୍କ ମୃତଦେହକୁ ବାଙ୍କେଲ ଗ୍ରାମକୁ ପଠାଇବା ସହ ଶବ ସତ୍କାରରେ ସହଯୋଗ କରିଥିଲେ।
ଝିଅଟିର ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା। ତଥାପି ଶେଷ ସମୟରେ ଗରିବ ପରିବାର ପାଖରେ ଠିଆ ହୋଇ ମୃତଦେହକୁ ଜନ୍ମମାଟିକୁ ପଠାଇବାରେ ଶାନ୍ତି ମାଝୀଙ୍କ ମାନବିକ ପଦକ୍ଷେପକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।
Thanks for reading: ସାମାଜସେବୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ବଞ୍ଚିପାରିଲା ନାହିଁ ନିରୀହ ଝିଅ, Sorry, my English is bad:)

