ଭବାନୀପାଟଣା/କଲମ: ପରିବେଶ ସୁରକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ସଚେତନତା ସୃଷ୍ଟି ଓ ବୃକ୍ଷରୋପଣକୁ ଜନଆନ୍ଦୋଳନର ରୂପ ଦେବା ଉଦ୍ଦେଶ୍ୟରେ କଲମଠାରେ ବନ ମହୋତ୍ସବ ଆୟୋଜିତ ହୋଇଛି। ଉତ୍ତର କଳାହାଣ୍ଡି ବନ ବିଭାଗ ଓ କଲମ ଉଚ୍ଚ ବିଦ୍ୟାଳୟର ଆନୁକୂଲ୍ୟରେ, କଳାହାଣ୍ଡି DEOଙ୍କ ସମର୍ଥନ ଏବଂ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମା କେ ନାମ୍’ ଆହ୍ୱାନକୁ ଆଧାର କରି ଶତାଧିକ ଛାତ୍ରଛାତ୍ରୀ ନିଜ ମା’ଙ୍କ ନାମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ। କେବଳ ଚାରା ରୋପଣରେ ସୀମିତ ନରହି ରୋପିତ ଗଛର ନିୟମିତ ଯତ୍ନ ଓ ସୁରକ୍ଷା ନେବା ପାଇଁ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ଶପଥ ଗ୍ରହଣ କରିଥିଲେ।
ବନ ମହୋତ୍ସବରେ ଅତିଥିମାନେ ଗଛ କେବଳ ପରିବେଶର ସୁରକ୍ଷା କରେ ନାହିଁ, ବରଂ ମାନବ ସମାଜର ଭବିଷ୍ୟତ ସହ ଏହାର ସିଧାସଳଖ ସମ୍ପର୍କ ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଜଙ୍ଗଲ ସୁରକ୍ଷା, ଜଳ ସଂରକ୍ଷଣ ଓ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ମଧ୍ୟ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସର୍ବେଶ୍ୱର ଗହିର, ଅଶୋକ କୁମାର ସାହୁ, କୃଷ୍ଣ ଚନ୍ଦ୍ର ପ୍ରଧାନ, ମହେନ୍ଦ୍ର ବାଗ, ମେଘନାଦ ପଟେଲ, ଦୁର୍ଯ୍ୟୋଧନ ଯୋଶୀ, ଶସ୍ମିତା ଭୋଇ, ସୁଧାଂଶୁ ରାଉତ, ଲକ୍ଷ୍ମଣ ପ୍ରଧାନ, ଅମିତ ପ୍ରଧାନ, ରୁଦ୍ରମଣି ନାଗ, କୀର୍ତ୍ତନ ମାଝୀ, କମଳ ମାଝୀ ଓ ଭବାନୀ ବାଗ ପ୍ରମୁଖ ଯୋଗଦେଇଥିଲେ।
ବନ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ଏହି ପଦକ୍ଷେପ ‘ମା’ଙ୍କ ନାମରେ ଗଛ, ଭବିଷ୍ୟତ ପାଇଁ ଛାୟା’ର ବାର୍ତ୍ତା ଦେବା ସହ ପରିବେଶ ସୁରକ୍ଷା ଦିଗରେ ଏକ ସଚେତନତାମୂଳକ ପ୍ରୟାସ ଭାବେ ପରିଗଣିତ ହୋଇଛି।
— ସିଂହନାଦ (SIMHANAAD) ପ୍ରତିନିଧି
Thanks for reading: ମା’ଙ୍କ ନାମରେ ଚାରା, ପରିବେଶ ସୁରକ୍ଷାର ଶପଥ: କଲମରେ ବନ ମହୋତ୍ସବ, Sorry, my English is bad:)

