ଭବାନୀପାଟଣା, ୨୨ ଅଗଷ୍ଟ ୨୦୨୬ | ସିଂହନାଦ (SIMHANAAD): ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ଅକାଳ ବିୟୋଗରେ ମନ୍ଦିର ସମୂହ କମିଟି ପକ୍ଷରୁ ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। କମିଟି ସଭାପତି ଶ୍ରୀ ଇନ୍ଦ୍ରଜିତ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ୱର୍ଗତ ମହାରଣାଙ୍କ ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ସଭାରେ ଉପସ୍ଥିତ ଅତିଥି, ବୁଦ୍ଧିଜୀବୀ, ସମାଜସେବୀ ଓ ପୁରୁଣାପଡ଼ା ଅଞ୍ଚଳର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ସ୍ମୃତିଚାରଣ କରି ତାଙ୍କ ଅବଦାନକୁ ସ୍ମରଣ କରିଥିଲେ।
ସ୍ମୃତିଚାରଣ ସମୟରେ ବକ୍ତାମାନେ କହିଥିଲେ ଯେ, ଜୋନ୍ସ ମହାରଣାଙ୍କ ବ୍ୟକ୍ତିତ୍ୱ ଥିଲା ବହୁମୁଖୀ। ସେ ଜଣେ ଶିକ୍ଷକ ଭାବେ ଶିକ୍ଷା କ୍ଷେତ୍ରରେ, ସମାଜସେବୀ ଭାବେ ସାମାଜିକ କ୍ଷେତ୍ରରେ, ସୁସଂଗଠକ ଭାବେ ସଂଗଠନ କାର୍ଯ୍ୟରେ ଏବଂ କଳାପ୍ରେମୀ ଭାବେ ସାଂସ୍କୃତିକ କ୍ଷେତ୍ରରେ ନିଜର ଅବଦାନ ରଖିଥିଲେ। ତାଙ୍କ ସରଳତା, ମିଷ୍ଟଭାଷୀ ବ୍ୟବହାର ଓ ସାମାଜିକ କାର୍ଯ୍ୟ ପ୍ରତି ନିଷ୍ଠା ତାଙ୍କୁ ସମସ୍ତଙ୍କ ନିକଟରେ ପ୍ରିୟ କରିଥିଲା ବୋଲି ଉପସ୍ଥିତ ବ୍ୟକ୍ତିମାନେ ସ୍ମରଣ କରିଥିଲେ।
ଜଣେ ମଣିଷର ଶାରୀରିକ ଅନୁପସ୍ଥିତି ତାଙ୍କ ଜୀବନର ସମାପ୍ତି ହୋଇପାରେ, କିନ୍ତୁ ତାଙ୍କ କର୍ମ ଓ ସ୍ମୃତି ତାଙ୍କୁ ସମାଜ ମଧ୍ୟରେ ବଞ୍ଚାଇ ରଖେ। ଜୋନ୍ସ ମହାରଣାଙ୍କ କ୍ଷେତ୍ରରେ ମଧ୍ୟ ତାଙ୍କ କର୍ମମୟ ଜୀବନର ସ୍ମୃତି ତାଙ୍କୁ ଅଞ୍ଚଳବାସୀଙ୍କ ମନରେ ଦୀର୍ଘଦିନ ଧରି ଜୀବନ୍ତ ରଖିବ ବୋଲି ସଭାରେ ମତପ୍ରକାଶ ପାଇଥିଲା।
ଏହି ଶୋକସଭାରେ ଭାବଗ୍ରାହୀ ନାୟକ, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ ପ୍ରଧାନ, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ଦାମ ମହାରଣା, ପ୍ରଶନ ମହାରଣା, ପରୀକ୍ଷିତ ବିଶ୍ୱାଳ, ସନ୍ତୋଷ ପ୍ରଧାନ, ସୁଦେଶ ନାୟକ, ରାଜୁ ନାୟକ, ସୁବାଷ ପ୍ରଧାନ, ରବି ସ୍ୱାଇଁ ଓ ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ସ୍ମୃତିଚାରଣ କରିବା ସହ ଗଭୀର ଶୋକ ପ୍ରକାଶ କରିଥିଲେ।
ସଭା ଶେଷରେ ସମସ୍ତେ ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ।
Thanks for reading: ଜୋନ୍ସ ମହାରଣାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି : ସ୍ମୃତିରେ ଅମର ରହିବେ ପ୍ରିୟ ଜୋନ୍ସ, Sorry, my English is bad:)

