କେନ୍ଦୁଝର ଜିଲ୍ଲାରେ ଘଟିଥିବା ଚର୍ଚ୍ଚିତ ଘଟଣାରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ସମ୍ପୃକ୍ତ ଶାଖା ମ୍ୟାନେଜରଙ୍କୁ ସସ୍ପେଣ୍ଡ କରାଯାଇଛି। ମୃତ ଭଉଣୀଙ୍କ ଖାତାରେ ଥିବା ଟଙ୍କା ପାଇବା ପାଇଁ ଜଣେ ଆଦିବାସୀ ଯୁବକ ତାଙ୍କ ଭଉଣୀଙ୍କ କଙ୍କାଳ ନେଇ ବ୍ୟାଙ୍କକୁ ଆସିଥିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।
ସୂଚନା ଅନୁସାରେ, କେନ୍ଦୁଝରର ଜୀତୁ ମୁଣ୍ଡା ତାଙ୍କ ମୃତ ଭଉଣୀ କଲରା ମୁଣ୍ଡାଙ୍କ ଖାତାରେ ଥିବା ପ୍ରାୟ ୧୯,୪୦୨ ଟଙ୍କା ଉଠାଇବା ପାଇଁ ବାରମ୍ବାର ବ୍ୟାଙ୍କ ଯାଇଥିଲେ। ଆବଶ୍ୟକ କାଗଜପତ୍ର ଓ ମୃତ୍ୟୁ ପ୍ରମାଣପତ୍ର ନଥିବାରୁ ସେ ଟଙ୍କା ପାଇପାରିନଥିଲେ। ଶେଷରେ ହତାଶ ହୋଇ ସେ ଭଉଣୀଙ୍କ କଙ୍କାଳ ନେଇ ବ୍ୟାଙ୍କକୁ ପହଞ୍ଚିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ରୀୟ ଆର୍ଥିକ ସେବା ବିଭାଗ ତଦନ୍ତ କରିଥିଲା। ପରେ ସମ୍ପୃକ୍ତ ଶାଖା ମ୍ୟାନେଜରଙ୍କୁ ସସ୍ପେଣ୍ଡ କରାଯିବା ସହ ଦେଶର ସମସ୍ତ ୨୮ଟି ଗ୍ରାମୀଣ ବ୍ୟାଙ୍କକୁ ଗ୍ରାହକଙ୍କ ସହ ସମ୍ବେଦନଶୀଳ ଓ ସ୍ୱଚ୍ଛ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଘଟଣା ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସଚେତନତା, ପ୍ରଶାସନିକ ସମ୍ବେଦନଶୀଳତା ଏବଂ ସରକାରୀ ସେବା ପ୍ରଦାନ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Thanks for reading: ମୃତ ଭଉଣୀଙ୍କ କଙ୍କାଳ ନେଇ ବ୍ୟାଙ୍କକୁ ଆସିଥିବା ଘଟଣା: ମ୍ୟାନେଜର ସସ୍ପେଣ୍ଡ, Sorry, my English is bad:)

