IAS Officer Dhiman Chakma: ଓଡ଼ିଶାରେ ଯୁବ IASଙ୍କ କଳାକାରନାମାକୁ ନେଇ ଦେଶବ୍ୟାପୀ ହଇଚଇ; ଦୁର୍ନୀତିରେ ସାଥୀ ଆଉ କିଏ ?


 ୪ବର୍ଷ ତଳେ IAS ପାଇଥିଲେ। ନୂଆ ନୂଆ ବନିଥିଲେ ଉପଜିଲ୍ଲାପାଳ। କିନ୍ତୁ ଲାଞ୍ଚ ମୋହ ଏମିତି ଘାରିଲା ଯେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଗିରଫ ହୋଇ ଜେଲ୍ ଯାଇଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା। ଜଣେ କ୍ରସର ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଲାଞ୍ଚ ନେବାବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି ଯୁବ IAS। ସରକାରୀ ବାସଭବନରୁ ବି ମିଳିଛି ଆଉ ୪୭ ଲକ୍ଷରୁ ଅଧିକ ନଗଦ ନୋଟ୍। ତେବେ ବାବୁଙ୍କ ଏତେବଡ଼ ଲାଞ୍ଚ କାରବାର କାହିଁକି ? କାହିଁକି କ୍ରସର୍ ମାଲିକ ଲାଞ୍ଚ ପାଇଁ କରିଥିଲେ ଡିଲ୍ ? ଏହି ଟଙ୍କା ନିଜ ପାଇଁ ନେଉଥିଲେ ନା ଏହାପଛରେ ଆଉ କିଏ ? ବଢ଼ିଛି ଚର୍ଚ୍ଚା। ଲାଞ୍ଚ ତ ଲାଞ୍ଚ, ପୁଣି IAS ଅଫିସରଙ୍କ ଲାଞ୍ଚ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, ସିଧା ୨୦ ଲକ୍ଷ ଡିଲ୍...ତା’ଭିତରୁ ୧୦ ଲକ୍ଷ ଆଡଭାନ୍ସ। ଏହି ଆଡ଼ଭାନ୍ସ ପାଇଁ ଏବେ IAS ବାବୁଙ୍କ ଖେଳ ଖତମ୍। ମିଳିଛି ବିଡ଼ା ବିଡ଼ା ନୋଟ୍। ଯାହା ଥାକ ମାରି ରଖାଯାଇଥିଲା ସରକାରୀ ବାସଭବନରେ । ଦୃଶ୍ୟ ଦେଖିଲେ ଲାଗିବ ସତେ ଯେମିତି ଟଙ୍କା ଗୋଦାମ। ଆଉ ସେହି ଗୋଦାମର ମାଲିକ ହେଉଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା। ଯାହାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ଭିଜିଲାନ୍ସ। କଳାହାଣ୍ଡି ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କ ସହ ହୋଇଥିଲା ୨୦ ଲକ୍ଷ ଟଙ୍କାର ଡିଲ୍। ତାମଧ୍ୟରୁ ଅଗ୍ରୀମ ବାବଦକୁ ବାବୁ ନେଉଥିଲେ ୧୦ ଲକ୍ଷ। ଆଉ ସେତିକି ବେଳେ ମାଡ଼ିବସିଲା ଭିଜିଲାନ୍ସ। ଧରିଲା ନଗଦ ନୋଟ୍ ସହ IAS ଧିମାନ ଚକମାଙ୍କୁ। ଖୋଳତାଡ଼ ଭିତରେ ସରକାରୀ କ୍ବାର୍ଟର୍ସରୁ ମିଳିଥିଲା ଆହୁରି ୪୭ ଲକ୍ଷ ୪୭ ହଜାର ନଗଦ କ୍ୟାସ୍ । ଏଭଳି ଭାବେ ମୋଟ୍ ୫୭ ଲକ୍ଷ ୪୭ ହଜାର ଟଙ୍କା ମିଳିଥିଲା ଚକମାଙ୍କ ଘରୁ। ଯାହାର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଧର୍ମଗଡ଼ ଭଳି ଏକ ଛୋଟିଆ ଜାଗାରେ IAS ଅଫିସରଙ୍କ ସହ ଏତେ ବଡ଼ ଲାଞ୍ଚ କାରବାର କାହିଁକି ? କେଉଁ କାରଣ ପାଇଁ କ୍ରସର୍ ମାଲିକ ସହ ଚାଲିଥିଲା ୨୦ ଲକ୍ଷର ଡିଲ୍ ? କ୍ରସର କ୍ବାରୀ ପାଇଁ ନା ଆନୁସଙ୍ଗିକ ଅନୁମତି ପାଇଁ ? ପରିବେଶ ସାର୍ଟିଫିକେଟ୍ ସମ୍ପର୍କିତ ଦଲିଲ ପାଇଁ ଡିଲ୍ କରିଥିଲେ କି ଉପଜିଲ୍ଲାପାଳ ? ବଡ଼ ପ୍ରଶ୍ନ ସରକାରୀ ବାସଭବନରୁ ମିଳିଥିବା ୪୭ ଲକ୍ଷ ଟଙ୍କା କାହାର ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଧର୍ମଗଡ଼ ବାସିନ୍ଦା।  ଧିମାନ ଚକମା। ଛୋଟ ମୋଟ ଅଞ୍ଚଳ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରରେ ରହି ବଡ଼ ସ୍ବପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଦିନେ ସାଜିଥିଲେ ବତୀଘର। କାରଣ ବାପା ଶିକ୍ଷକ, ମା’ ଗୃହିଣୀ। ସଂଘର୍ଷ ଓ ଅଧ୍ୟବସାୟ ବଳରେ ବର୍ତ୍ତମାନର ୩୬ ବର୍ଷିୟ ଚକମା, ୨୦୧୯ ଏବଂ ୨୦୨୦ରେ ଦୁଇ ଦୁଇ ଥର ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ୨୦୧୯ରେ ୭୨୨ ରାଙ୍କ ରଖି IFS ପାଇଁ ମନୋନୀତ ହୋଇଥିଲେ। କିନ୍ତୁ IAS ହେବାର ସ୍ବପ୍ନ ଦେଖୁଥିଲେ ଧିମାନ ଚକମା। ତେଣୁ ୨୦୨୦ରେ ପୁଣି ପରୀକ୍ଷା ଦେଇ କୃତକାର୍ଯ୍ୟ ହେବାପରେ ଓଡ଼ିଶା କ୍ୟାଡର IAS ଅଫିସର ବନି କଳାହାଣ୍ଡି ଧର୍ମଗଡ଼ ଉପଜିଲ୍ଲାପାଳ ହୋଇଥିଲେ ୨୦୨୪ ଜାନୁୟାରୀ ୨୯ରେ। ମାତ୍ର ୪ ବର୍ଷର ଚାକିରି ଭିତରେ ପଡ଼ିଗଲେ ଭିଜିଲାନସ ହାବୁଡ଼ରେ। ଯୁବପିଢ଼ିର ଏଭଳି ଲାଞ୍ଚୁଆ ବାବୁ କେବଳ ଧିମାନ ନୁହଁନ୍ତି। ସଦ୍ୟତମ ତଥ୍ୟ କହୁଛି, ଗତବର୍ଷ ଜୁନ ୧୨ ତାରିଖରୁ ଚଳିତ ବର୍ଷ ମେ ୨୨ ତାରିଖ ଭିତରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ବାବୁମାନଙ୍କ ଭିତରେ ୫୮ ଜଣ କ୍ଲାସ୍ ୱାନ୍ ଓ ୪୭ ଜଣ ହେଉଛନ୍ତି କ୍ଲାସ-ଟୁ ଅଫିସର। ଏମାନଙ୍କ ମଧ୍ୟରେ ବି କିଛି ଯୁବ ଅଧିକାରୀ ଅଛନ୍ତି। ପ୍ରଶ୍ନ ଉଠୁଛି କମ୍ ବୟସରେ ବଡ଼ ବଡ଼ ଭ୍ରଷ୍ଟାଚାରରେ କାହିଁକି ସଂପୃକ୍ତ ରହୁଛନ୍ତି ଯୁବ ସରକାରୀ ବାବୁ ? 

Thanks for reading: IAS Officer Dhiman Chakma: ଓଡ଼ିଶାରେ ଯୁବ IASଙ୍କ କଳାକାରନାମାକୁ ନେଇ ଦେଶବ୍ୟାପୀ ହଇଚଇ; ଦୁର୍ନୀତିରେ ସାଥୀ ଆଉ କିଏ ? , Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.